ଜୀବନରେ ଶୂନ୍ୟଗର୍ଭା ଉଦାର ଆକାଶ ଉପରେ ପ୍ରତ୍ୟେକ ମଣିଷକୁ ହରରଙ୍ଗୀ ଚଢ଼େଇ ମନେ କରୁଥିବା କବି ସୌରୀନ୍ଦ୍ର ବାରିକଙ୍କ 'ଆକାଶ ପରି ନିବିଡ଼' କବିତା ସଂକଳନ ନିଚ୍ଛକ ଜୀବନଚିତ୍ର ପ୍ରଦାନ କରେ । ମହୁମାଛି ପରି ଆଲୁଅର ଡେଣାମେଲି ହୃଦୟକୁ ଆକ୍ରାନ୍ତ କରୁଥିବା ସ୍ମୃତିମାନଙ୍କୁ ନେଇ କବିପ୍ରାଣ ପ୍ରଗଳ୍]ଭ । ସେ ମ୍ଳାନ ସ୍ମୃତିର ପୃଷ୍ଠା ଭିତରେ ଶୁଷ୍କ ଜୀବନକୁ ପୁଣି ସାମାନ୍ୟ ସକ୍ରିୟ କରି ନେବାକୁ ତାଙ୍କର ଆଗ୍ରହ । କିନ୍ତୁ ତାଙ୍କୁ ମନେ ହୁଏ 'ସ୍ମୃତିର ଶୁଖିଲା ହାଡ଼କୁ ରେକୁଟି ରେକୁଟି ଶେଷରେ ନିଜ ଲୁହ ଚାଖିବା ହିଁ ଯେମିତି ଖାଲି ସାର ହୁଏ' । ପରିବର୍ତ୍ତନଶୀଳ ଆକାଶୀ ମନ ନେଇ ସମ୍ପର୍କ ବଦଳେ । ପ୍ରତାରଣା, ସମ୍ପର୍କର ଦୂରତ୍ୱ, ଅଶ୍ରୁ, ସ୍ୱପ୍ନ ମଧ୍ୟରେ ସ୍ନେହ କାଙ୍ଗାଳ କବିସତ୍ତା ତା'ର କବିତାର ଶବ୍ଦଙ୍କୁ ସାଉଁଟିନିଏ । ସେଇ ନିତିଦିନିଆ କଥା, ପ୍ରଜାପତି, ଫୁଲ, ହସ-କାନ୍ଦ, ଲୁହର ଶବ୍ଦ-ଦର୍ପଣରେ କବିଙ୍କୁ ଜୀବନର ବହୁବିଧ ରୂପ ଆଶ୍ୱାସନା ଦିଏ । କବିତାର ଶବ୍ଦ ଘୋଟି ଯା'ନ୍ତି ମେଘ ଓ ଅନ୍ଧାର ପରି ପୁଣି ଶବ୍ଦସବୁ ଫୁଟି ଉଠନ୍ତି ତାରା ଓ ଫୁଲ ପରି । କବି ସୌରୀନ୍ଦ୍ରଙ୍କ କବିତାର ପ୍ରତିଟି ଶବ୍ଦରେ ଅସଂଖ୍ୟ ପୃଥିବୀ, ଅସଂଖ୍ୟ ଈଶ୍ୱର କବିର ନାଭିକମଳକୁ ଧାରଣ କରନ୍ତି । ବାସ୍ ତା'ପରେ କବି ଚେତନା ଆକାଶ ପରି ନିବିଡ଼ ହୋଇଯାଏ । Read more