ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି ।
ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ ।
ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ମୂଳ ନାମ ପୁତି ଟୁଡୁ ଥିଲା । ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ । ତାଙ୍କ ନାମ ଅନେକ ଥର ପରିବର୍ତ୍ତନ କରାଯାଇଥିଲା ଏବଂ ଅତୀତରେ ତାଙ୍କୁ ଦୁର୍ପାଦି, ଡୋର୍ପଦି ଆଦି ନାମ ମଧ୍ୟ ଦିଆଯାଇଥିଲା ।
ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ । ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ ।
ସେ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା'ପରେ ଭୁବନେଶ୍ୱର ଆସି ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ ।
ପରିବାର
ସମ୍ପାଦନ କରନ୍ତୁ
ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ । ଉଭୟ ଦମ୍ପତିଙ୍କର ଦୁଇ ପୁତ୍ର ଥିଲେ ଲକ୍ଷ୍ମଣ ମୁର୍ମୁ ଏବଂ ସିପୁନ୍ ମୁର୍ମୁ ଓ ଗୋଟିଏ କନ୍ୟା ସନ୍ତାନ ଇତିଶ୍ରୀ ଅଛନ୍ତି ।
୨୦୦୯ ଏବଂ ୨୦୧୩ ମସିହାରେ ସେ ତାଙ୍କର ଦୁଇ ପୁତ୍ରଙ୍କୁ ହରାଇଥିଲେ । ୨୦୧୪ ମସିହାରେ ଶ୍ୟାମ ଚରଣ ମୁର୍ମୁଙ୍କର ଦେହାନ୍ତ ହୋଇଥିଲା ।
ବୃତ୍ତି
ସମ୍ପାଦନ କରନ୍ତୁ
ସେ ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ । ଏହାପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ।