ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ ।
ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।[୧]
ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ ।[୨]
ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ ।
କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ ।