ଏଥୁ ଅନନ୍ତରେ ରସିକସାର ।
କର୍ଣ୍ଣମୁଖରେ ସୁଧାପାନ କର ।
ନୃପସୁତ ଆଗେ ପେଡ଼ି ଫେଡ଼ିଲା ।
ସେ ରୂପ ଉପରେ ନେତ୍ର ପଡ଼ିଲା ।
କି ପଡ଼ିଲା ନାହିଁ ଜଡ଼ିଲା ଘେନ ।
ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।୧ ।
ମୂର୍ତ୍ତିମନ୍ତ କଲା ମଦନ କଳା ।
କନକନିଭ ମଦନ ପିତୁଳା ।
କାଚବାଡ଼ପୁରେ ବସିଲା ପରି ।
ମୁକୁରେ ଫିଟି ଦିଶୁଛି ମାଧୁରୀ ।
କି ସୁନ୍ଦର ସମେ ଆଉ କାହିଁକି ।
ସଚିତ୍ର ହୋଇ ବିଚିତ୍ର ହୋଇଛି । ୨ ।
ସରସିଜେ ଶିଶୁ ଆଳିଆବଳୀ ।
ବସିଥିଲା ପରା ଅଳକା ଝଳି ।
ଅଧରେତ ଅଛି ହାସ ଝଲକ ।
କର୍ପୂରେ ମାଜିଲା ପରା ମାଣିକ୍ୟ ।
କି ସୁନ୍ଦର । ପୁଣି ପମ୍ପ ଚାତୁରୀ ।
ଚାଳିଦେବ ପରା ଧୈର୍ଯ୍ୟକତୁରୀ ।୩।
ଆଗ ଅନୁରାଗ ଭ୍ରମ ଉପୁଜି ।
ରାମା କି ପ୍ରତିମା ପାରେ ହେଜି ।
ଚକିତ ସ୍ଥକିତ ଦଣ୍ଡେ ହୋଇଲା ।
ମନେ ମନେ ଲକ୍ଷେ ଚୁମ୍ବନଦେଲା ।
କି ସୁନ୍ଦର ମନ ନୟନ ପ୍ରାଣ ।
ସେହି ଶୋଭାରେ କଲା ସମର୍ପଣ । ୪ ।
ଏଣୁ ସେ ସୁତନୁ ତନୁତନୁକୁ ।
ଆସେ ଅନୁମାନ ଅନୁମାନକୁ ।
ଆଲୋକିତ ହେଲା ଲୋକିତ କରି ।
କରଇ ଉପମା ନୁହଇ ସରି ।
କି ସୁନ୍ଦର । କବି ବଚନ ପଥ ।
କୃତାର୍ଥ କରଣେ ହେଲା ସମର୍ଥ । ୫ ।
ବେଣୀ ଶୋଭା ଅବା ସାଧବା ପାଇଁ ।
ରତୀଶ ପଟ୍ଟଶ ଅଛି ଭିଆଇ ।
କନକ ପିଆଣିଆକୁ ଅସମ ।
ମୁକୁତାଜାଲି ମୁଠା ଜାଲି କମ ।
ସୁନ୍ଦର । ପୁଣି ଦିଶେ କୁସୁମ ।
ପୂଜା କରେ କି ଜଗଜ୍ଜୟକାମେ । ୬ ।
ଦ୍ଵିତୀୟାତିଥ୍ ଭ୍ରମ ସେହିଠାରେ ।
ଅବତଂସ ଚନ୍ଦ୍ର ଝୁମ୍ପି ଥରେ ।
ଜାଜ୍ଜଲ୍ୟ ତାରକା ଚାନ୍ଦ ଦୀଧୃତି ।
ସୁଧାବିନ୍ଦୁ ସ୍ରାବ ପରାୟ ମୋତି ।
କି ସୁନ୍ଦର । କାମ ରତ୍ନତୋରଣା ।
ଝିଲିମିଲି ମାଳୀ ସେହି ଲକ୍ଷଣା ।୭ ।
କଣ୍ଠ ହୋଇଅଛି ବନ୍ଦ ଆବାସ ।
ଏଥୁକି ଉପମା କରିବା କିସ ।
ଭାଳୁ ଭାଳୁ ଦୃଷ୍ଟି ପତନ ହେଲା ।
ବାଳି ବୋଲି ମନେ ଯତନେ କଲା ।
କି ସୁନ୍ଦର । ଫୁଲ ସୁମଲ୍ଲୀ କଢ଼ି ।
ଝଲକ ଉପମାକୁ ଗଲା ହୁଡ଼ି ॥୮ ।
ଭାଲ ଚାହିଁ କଲା ଭାଲ ବିଚାର ।
ଏ ହେମ କାପ ତରାସ ଧାତାର ।
ଲେଖୁଛି ଚିତ୍ର କବିତ୍ବ ଏଥିରେ ।
ଏ ବାଳା ସମାନ ନାହିଁ ପୃଥୀରେ ।
କି ସୁନ୍ଦର । ଗୁଣେ ନାଗଭୁବନେ ।
ସ୍ବର୍ଗପୁରେ ଆଉ ନାହିଁ ସମାନେ ।୯ ।
ବଡ଼ କି ଚତୁର ପାଞ୍ଚିବା ଏହା ।
ବଡ଼ କରି ଜଡ଼ ଘେନିମେ ଯାହା ।
ରଙ୍ଗ ଶୁକଳ କଳା ତିନିଜାତି ।
ଟୋପିଛଳେ ଅଛି ଅକ୍ଷରପନ୍ତି ।
କି ସୁନ୍ଦର । ଦୃଷ୍ଟି ଚଳିବ ନାହିଁ ।
ଦେଉଥିଲେ ତାର ଚିତାକୁ ଚାହିଁ । ୧୦ ।
ଅତି ବିଚିତ୍ର ଛୁରିକା ନୟନ ।
ଅଞ୍ଜନଲାଞ୍ଜି ବ୍ୟାଜେ ମହାମୁନ ।
ଶିବ ଶିର କଳାକର କଳାଏ ।
କଳା ହୋଇ ବିଷଜ୍ୱଳାର ଭୟେ ।
ଭୂରୁ ଠାରେ ଭୀରୁ ପକାଇ ଆସି ।