ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି ।
ରଜନୀ ମନୋହର କରି ବହିଲା ପକ୍ବତରୁଫଳ କାନ୍ତିକି ।
ପ୍ରଫୁଲ, ମଲ୍ଲିକା ହାସ ବିକାଶି ।
ରସିକ ଭ୍ରମଣ ଚାଟୁକୁ ନିରତ ପାଟଳି ଶ୍ରବଣ ନିବେଶି ।୧।
ଝିଙ୍କାରୀ ଝଙ୍କାର ଝୁଣ୍ଟିଆ ଝମକେ ଚମକ ପକାଇ ଯୁବାରେ ।
ରଖିଲା ମନକୁ ଘନରସେ ନେଇ ଚନ୍ଦ୍ର କିରଣେ ଶୋଇବାରେ ।
ଶାଳ୍ମଳୀ, ରଙ୍ଗେ ଅନୁରାଗ ଦେଖାଇ ।
ନବ ବିଟପକୁ ବିରହ ଦାବାଗ୍ନି ସଂଯୋଗରେ ଦହି ପକାଇ ।୨ ।
କେତେ ରଞ୍ଜନ ବ୍ୟଜନ ପ୍ରଭଞ୍ଜନ ପରଶେ ଶାଢିକି ବିହିଲା ।
ଜଳଯନ୍ତ୍ରପୁର କର୍ପୂର ଚନ୍ଦନ ମଣ୍ଡନରେ ଚିତ୍ତ ରହିଲା ।
ଜାଣିଲି, ଶୁଚି ମୁର୍ଭିମନ୍ତ ହୋଇଲା ।
ବିଦେଶ ନ ଯାଅ ବୋଲି ଜନଙ୍କୁ କି ରଜେ ତୁଷାନଳ ଥୋଇଲା ।୩ ।
ଏମନ୍ତ କାଳେ କାନନେ ନୃପସୁତ ପୁଷ୍କରିଣୀ ମଧ୍ଯ ମଣ୍ଡପ ।
ହୋଇ ମିତ୍ରସଙ୍ଗ ବାଳାର ପ୍ରସଙ୍ଗ ପକାଇ ତାହା ନାମ ଜପେ ।
ପ୍ରକାଶେ, ବେଳୁ ବେଳ ଏହି ଭାଷାକୁ ।
ସାଧୁ କହିଲା ପରା ବିଧୁବଦନା ଆସୁଛି ମାନସକୁ ।୪ ।
କହିଲ ମିତେ ନ ଘେନ ଏତେ ଚିତ୍ତେ ନ ଥିଲାକୁ ନିକି ଜଗତ ।
ଘଟଣ ଘଟସ୍ତନା ସମେ ଘଟଣା ପିତୁଳା ହୋଇଛି ଆଗତ ।
ଏକାଳେ, ମାଳିକ କହେ ସନ୍ନିଧାନେ ।
ମହ୍ଲାରୁ ଆସିଛି ନାମ ମଦନିକା ଗଣିକା ତବ ଦରଶନେ । ୫ ।
ପଚାରେ କୁମାର ପ୍ରଶଂସା ଯାହାର ଶୁଣୁଥ୍ଲାଇଁ ଏ ସେ ନାରୀ ।
ଯାହା ଜନମକାଳୁ ମର୍ତ୍ତ୍ୟମଣ୍ଡଳେ ଆସିଲେ ନାହିଁ ଅପସରୀ ।
ତହିଁକି, ହୋଇ କଲା ମନ୍ତ୍ରୀ ନନ୍ଦନ ।
ଜାଣି ସୀଉକାର ଆଣି କାଳାକାର ଭେଟାଇଲା ରାମାରତନ । ୬ ।
ନବଯଉବନ ଶଣରେ ଶାଣିତ କାହା ମନ ବଶ ନୋହିବ ।
ସ୍ତମ୍ଭନ ମୋହନ ବିଶ୍ୟ ଉଚ୍ଚାଟନ ମୂର୍ତ୍ତିମନ୍ତ କଲା ଦଇବ ।
ଦେଖିଲା, ମାତ୍ରେ ଗାତ୍ରେ ଆଖ୍ ଲାୱଲା ।
ଚାପରେ ରୋପ ବସାଇ କୋପଭରେ ମାର ମରମରେ ଯୋଖଲା ।୭ ।
ସୁବର୍ଣ୍ଣ ସୁବର୍ଣ୍ଣବଳୟ ଯାହାର ଏ ସଂଶୟକୁ କରାଉଛି ।
କାହାକୁ କେ ବଡ଼ ତାରତମ୍ୟ ଆଉ କାରଣ ହିଁ ଯହିଁ ନୋହୁଛି ।
ଚିକୁର, ଲୋଟଣୀ କୁଡ଼ାରେ ଶୋଭନ ।
ଏ ଭାବେ ବାନ୍ଧବୀ ପୁରୁଷଙ୍କ ମନ ବୋଲି କେ କରିଛି ବନ୍ଧନ ।୮ ।
ମୋତିଜାଲି ଝଳି ତାରତାରକା କି ଉଦୟ ହେଲେ ନବଘନେ ।
କିବା ଇନ୍ଦ୍ରକୁ ଗ୍ରାସୁ ସୁଧାବିନ୍ଦୁକୁ ରହିଛି ରାହୁ ଅପଘନେ ।
ତଳକୁ, ଦିବ୍ୟ ଚନ୍ଦ୍ରଝୁମ୍ପା ଲମ୍ବିତ ।
ଅର୍ଦ୍ଧେନ୍ଦୁ ଅଧୋଭାଗେ ଲଭି ଉଦୟ ସପ୍ତଋଷି କିବା ଜଡ଼ିତ । ୯ ।
ଚାରୁ ଅଳକା ଝିଲିମିଲି ମାଳିକା ଅଗ୍ରେ ଲମ୍ବିତ କ୍ଷୁଦ୍ର ମୋତି ।
ହେମଲତା ଶିଖେ ମଧୁକରପନ୍ତି ମଧୁ କିବା ସଞ୍ଚୁଅଛନ୍ତି ।
କସ୍ତୁରୀ, ଉର୍ଦ୍ଧତିଳକ ଭାଲଦେଶେ ।
ବିକାଶ ସାରଣ ମଧୁ ଅଳିବଂଶ ଗମନ କି ତମାଳ ପାଶେ । ୧୦ ।
ତାଟଙ୍କ ହୀରାରେ ହସୁଛି ଶ୍ରବଣ ପାଶାଦି ଉପମାମାନଙ୍କୁ ।
ଆହୁରି ବଜ୍ର ମଲ୍ଲୀକଢ଼ ଧରିଛି ଧଇର୍ଯ୍ୟ-ଧର ଧ୍ବଂସନକୁ ।
ବଦନ, ବିକାରେ କମ୍ପକୁ ବହିଛି ।
ହା ହା ବାଳୀ ପୁର ଝଲକାଝଲକ ପଲକ ଘଉଡ଼ି ଦେଉଛି ।୧୧।
ଲଳିତ ଜ୍ୟୋତି ଜ୍ବଳିତ ମୋତିବର ଜ୍ଞାନ ନାଶେ ନାସେ ତାହାର ।
ନିର୍ମଳ ଭାବରେ ବିମ୍ବ ଓଷ୍ଠ ଧର ଅର୍ଷ ଅରୁଣତର ।
ଆରଦ୍ରା, ରୋହିଣୀକି ଘେନି କୋଳରେ ।
କଳଙ୍କ ହୀନ ପର୍ବଶର୍ବରୀଶ କି ଉଦିତ ଶରଦ କାଳରେ ।୧୨।
ବଶୀକରଣ ତ୍ରିବିଧ ମଣି ଔଷଧ ଯେଉଁ ନେତ୍ରେ ଅଛି ।
ଶୂଳି ଭଳି ଯତି ଢାଳି ଅନାଇଲେ ଢଳିବେ ମନକୁ ପାଉଛି ।
ଯହିଁର, ଅଞ୍ଜନ ଦମ୍ଭକୁ ତରାସେ ।
ଭାଲ ଗଣ୍ଡ ଖଣ୍ଡଚନ୍ଦ୍ରମା ସୁଷମା ସୀମାବାରବାର ପରା ସେ ।୧୩ ।
ରୋମାବଳୀ ଝଳି ମର୍କତ ପ୍ରବାଳ କଟୀ ଘଣ୍ଟିରେ ସଂଯୁତ ।
ଉରଜଯୁଗ ତୁମ୍ବି ସାର ତ୍ରିବଳୀ ଚିତ୍ର ବଲକୀ କଲା ଜାତ ।
ବିଧରେ, ବିଧୂର ବୁଦ୍ଧି ଭ୍ରମ ହେଲା
ମନ୍ଦ ମଧୁର ଘନସାର ହାସଟି ଜାଣିଲି ଏତେ, ଦୂର କଲା ।୧୪।
କରି କାଞ୍ଚଲା ପାଟଡୋର ଚରମେ ଭିଡି଼ ଆଚ୍ଛାଦିଛି ଯତନେ ।
ହିରଣ୍ୟଗର୍ଭ ହୁଡ଼ ବ୍ୟକ୍ତ ନୋହିବ ଏହି କାମନା କରି ମନେ ।
ତାହାର, ଖୋଳ ପରାୟେ ସେ ଦିଶଇ
ଉଚ୍ଚ ପୃଥୁଳ ଗୋପିତ ନୋହେ କଦା ନେତ୍ରେ ଅବନୀ ନ ଦେଖାଇ ।୧୫ ।
ଏମନ୍ତ ମଣୁଛି ଅଙ୍ଗରାଜ ପଦ ଅଙ୍ଗନାଠାରେ ସମ୍ଭାବିତ ।
ମହାଉତପାତ ମନ୍ଦ ବୋଲି ତାକୁ କରୁଅଛି ଯେଣୁ ଗୋପିତ ।
ସେ କଥା, ଯୁକ୍ତ ନୁହଇ ଦେଖ୍ବାର
ଚୀର ଆଚ୍ଛାଦିତ ଏଥକୁ କରିଛି ଫଳ ଚମ୍ବୁଛି ମଧୁକର ।୧୬ ।
କରସନାଳ କୋକନଦ ବାହାର କି ତନୁ ଶୋଭା ସରସୀରୁ ।
ଅତୁଲ୍ୟ ପଛେ ଆନ ଭୂଷା ଧରିଛି ରୂପଗର୍ବିତା ଲକ୍ଷଣାରୁ ।
ରଣିତ, କିଙ୍କିଣୀ କଟୀରେ ଖଞ୍ଜିଛି ।
କାମିନୀକି କାମରଥ ବୋଲିବାର ଶତ ଘଣ୍ଟିଚୟ ସାଜିଛି ।୧୭ ।
ନାହିଁ ତୁଳା କୋଟି ଜଗତରେ ବୋଲି ଘେନିଛି ପାଦରେ ଆଦିରେ ।
କ୍ଷୁରୀ ନାରୀ ଧନ୍ୟ ବୋଲାଇ ଅଲକ୍ତ ପଦରାଗ ବ୍ୟକ୍ତ ହେବାରେ ।
ଦିଶୁଛି, ଏପରିରେ ତନୁ ଗଉର ।
ଚମ୍ପକ ଗଭା ପତନୀ ଶାଢ଼ି ଥିବା ଚିକୁର ଧଡ଼ିରୁ ଗୋଚର ।୧୮ ।
କାର୍ଯ୍ୟକୁ କାରଣ କରି କହିଲଇଁ ମଦନିକାର ଶୋଭା କିଛି ।
ବିଚାରି କହି ବସିଲେ ଏହି ଶଙ୍କା ବହୁତ ଛାନ୍ଦ ହେବା ଅଛି ।
ଶୋଭାକୁ, ଚାହିଁ ସ୍ଥଗିତ ନେତ୍ରଫୁସ ।
ଜଣେ ଜଣାଉ ସିଂହଳପତି ଜେମା ସ୍ବରୂପ ହୋଇଲା ପ୍ରବେଶ ।୧୯୮
ସମ୍ଭମେ ଉଠି ପାଛୋଟି ଯିବା ମନଜାଣି ନିଷେଧ କଲେ ମିତ ।
ଆସ ଆସ ବୋଲି ସନ୍ନ୍ୟାସୀ ପାଶକୁ ଦୂତ ଉପରେ ଗଲେ ଦୂତ ।
ପ୍ରବେଶ, ଆସନ ଦେଇ ବସାଇଲେ ।
ଚତୁର ମିତ୍ରେଚତୁର ବାରବଧୂ ପ୍ରଶଂସାଦିରେ କଥା ହେଲେ । ୨୦ ।
କେ ବୋଲେ ଚାହିଁ ଚଞ୍ଚଳ ଚକ୍ଷୁପକ୍ଷୁ ପତନ ବୁଦ୍ଧି କରେ ବଣା ।
ଚନ୍ଦ୍ର ଚକୋର ବସି ସୁଧା ପିଇବା ମର୍ତ୍ତ୍ୟ କି କମ୍ପାଉଛି ଡେଣା ।
କେ ବୋଲେ, ଚାହିଁ ନାସାଫୁଲା ପଣକୁ ।
ଏ ଚାତୁରୀର ଚାତୁରୀ କରିଛିଟି ବିଜୟ ଏ ଫୁଲବାଣକୁ ।୨୧।
କେ ବୋଲେ ଚାହିଁ ଚାହିଁ ଦେଇ ନୟନ ଉରଜପରେ ଯା ନିଅଇ ।
ଏହି ଶିବସେବା କାମ ପରାଭବ ନ କରିବ ଏହା କହଇ ।
କେ ବୋଲେ, ଚାହିଁ ତା ମଧୁର ହାସକୁ ।
ଅଧର ଦେଖାଇ ଦେଉଛି ତରୁଣ ଅରୁଣ ଜିଣିଲା ଯଶକୁ ।୨୨।
ସନ୍ନ୍ୟାସୀ ଭାସି ଯାହା ପ୍ରତି ପ୍ରତିମା ଆରିଛି ଦର୍ଶନ ଦେବାକୁ
ଏ ଯୋଷା ଯୋଗ୍ୟ ନୋହେ ତା ପଦଘଷା-ଉପଳ ଉପମା ହେବାକୁ ।
ଭୋ ଯତି, କି କହ ମନ୍ତ୍ରୀଜ ବୋଇଲେ
ପ୍ରତ୍ୟକ୍ଷ କଥାରେ କେଉଁ ଅନୁମାନ ବୋଲି ସେ ପେଡ଼ାକୁ ଫେଇଲେ । ୨୩ ।
ଏ ବାମାକୁ ବାସ ଉପହାର ଦିଅ ଅଧିକାରୀକି ଆଜ୍ଞା ଦେଇ ।
ତନ୍ମନା ହେଲା ରାମା ରୂପ ଲୋକେନ ବିଷୟ ପଛକୁ ପକାଇ ।
ସମ୍ପୂର୍ଣ୍ଣ, ଏ ଛାନ୍ଦ ଚତୁର୍ବିଂଶ ପଦ ।
ଅଯୋଧ୍ୟାଇନ୍ଦ୍ର ଧ୍ୟାନରେ ଉପଇନ୍ଦ୍ର ନାଶିବ ଅର୍ଜିତ ଆପଦ । ୨୪ ।