ଇସ୍ରୋର ଆଦିତ୍ୟ ଏଲ1 ମହାକାଶୟାନ ବେଶ୍ ସଫଳତାର ସହ କାମ କରୁଛି। ରବିବାର ପୃଥିବୀ ଚାରିପଟେ ଘୂରି ବୁଲୁଥିବା ବେଳେ ଏହା ତୃତୀୟ ଥର ପାଇଁ କକ୍ଷପଥ ବଦଳାଇଛି। ଏହା ଆଗାମୀ କିଛି ଦିନ ପର୍ୟ୍ୟନ୍ତ ଏହି କକ୍ଷପଥରେ ଘୂରିବ, ଏହା ପରେ ଚତୁର୍ଥ ଥର ପାଇଁ ଏହାର କକ୍ଷପଥ ପରିବର୍ତ୍ତନ କରି ସୂର୍ୟ୍ୟ ଆଡକୁ ଗତି କରିବ।
ଆଦିତ୍ୟ ଏଲ1ର ସ୍ବାସ୍ଥ୍ୟାବସ୍ଥା ନେଇ ଇସ୍ରୋ ପକ୍ଷରୁ ଏକ ଅପଡେଟ୍ ମଧ୍ୟ ଦିଆୟାଇଛି। ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁୟାୟୀ, ମହାକାଶ ଯାନଟି ତୃତୀୟ ଆର୍ଥ ବାଉଣ୍ଡ୍ ମେନିଉଭର (ଇବିଏମ୍ 3) ଶେଷ କରିଛି। ଏହାର ସମସ୍ତ ଉପକରଣ ଠିକ୍ ଭାବେ କାମ କରୁଛି।
ନୂଆ କକ୍ଷପଥ ପରିବର୍ତ୍ତନ ପରେ ଏବେ ଏହା 296 କିଲୋମିଟର x 71767 କିଲୋମିଟର ଲମ୍ବର ଏକ ଉପବୃତ୍ତାକାର କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାରେ ଲାଗିଛି। ଆସନ୍ତା 4 ଦିନ ପର୍ୟ୍ୟନ୍ତ ଏହା ଏହି କକ୍ଷପଥରେ ଘୁରି ବୁଲିବ, ଏହାପରେ ସେପ୍ଟେମ୍ବର 15 ତାରିଖ ଦିନ 2ଟାରେ ଏହା ଚତୁର୍ଥ ଥର ପାଇଁ କକ୍ଷପଥ ବଦଳାଇବ (ଇବିଏମ୍ 4)। ଏହା ପରେ ସେ ଲୋରେଞ୍ଜ ପଏଣ୍ଟ ଆଡ଼କୁ ମୁହାଁଇବେ। ଯେତେବେଳେ କି ଆଦିତ୍ୟ ଏବେ ପୃଥିବୀଠାରୁ 72 ହଜାର କିଲୋମିଟର ଦୂରରେ ପହଞ୍ଚି ସାରିଲେଣି। ଏବେ ବି ତାଙ୍କୁ 14 ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି। ଏଥିପାଇଁ ପ୍ରାୟ ଚାରି ମାସ ସମୟ ଲାଗିବ। ଏଲ1ରେ ପହଞ୍ଚିବା ପରେ ଏହା ସେଠାରେ ପ୍ରତିଷ୍ଠା ଲାଭ କରିବ ଏବଂ ଏବେ ସେଠାରୁ ସୂର୍ୟ୍ୟଙ୍କ ଅଧ୍ୟୟନ କରିବ।
ଇସ୍ରୋ ଅନୁସାରେ ଆଦିତ୍ୟରେ ସୂର୍ୟ୍ୟଙ୍କ ଅଧ୍ୟୟନ ପାଇଁ ମୋଟ 7ଟି ପେଲୋଡ୍ ଲଗାୟାଇଛି, ଯାହା କେବଳ ଭାରତରେ ତିଆରି ହୋଇଛି। ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଦିନକୁ 1440ଟି ଚିତ୍ର ପଠାଇବ। ଏହା ସାହାୟ୍ୟରେ ବୈଜ୍ଞାନିକମାନେ ସୂର୍ୟ୍ୟଙ୍କ ଉପରେ ଗବେଷଣା କରିବେ। ଯଦି ସବୁକିଛି ଠିକ୍ଠାକ୍ ଚାଲିଥାଏ ତେବେ ଏହି ମିଶନ 5 ବର୍ଷ ପର୍ୟ୍ୟନ୍ତ କାମ କରିବ।