ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ 33 ପ୍ରତିଶତ କୋଟା ପ୍ରଦାନ ପାଇଁ ଆଗତ ମହିଳା ସଂରକ୍ଷଣ ବିଲ୍କୁ ଗୁରୁବାର ରାଜ୍ୟସଭାରେ ମଞ୍ଜୁରୀ ମିଳିଛି। ଉଚ୍ଚ ସଦନରେ ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଏବଂ ଏଥିରେ କୌଣସି ପ୍ରକାରର ଅବହେଳା କିମ୍ବା ନକରାତ୍ମକ ଭୋଟିଂ ହୋଇନଥିଲା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦସ୍ତଖତ ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହେବ। ତେବେ ଏହାକୁ ତୁରନ୍ତ ଲାଗୁ କରାୟିବ ନାହିଁ, କାରଣ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ସୀମା ନିର୍ଦ୍ଧାରଣ ପରେ ହିଁ ମଞ୍ଜୁର ହୋଇପାରିବ।
ସୀମା ନିର୍ଦ୍ଧାରଣ ପ୍ରକ୍ରିୟା, ଯେଉଁଥିରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ନିର୍ଦ୍ଧାରଣ ସାମିଲ ରହିଛି, ତାହା ଜନଗଣନା ପରେ ହେବ। 2027 ମସିହା ପୂର୍ବରୁ ଏହି ବିଲ୍ର ବ୍ୟବସ୍ଥା ଲାଗୁ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ 2024 ସାଧାରଣ ନିର୍ବାଚନ ଶେଷ ହେବା ମାତ୍ରେ ଜନଗଣନା ଓ ସୀମା ନିର୍ଦ୍ଧାରଣ କାର୍ୟ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଆଜି ରାଜ୍ୟସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ 2023 ନାମରେ ବିଲ୍ ଆଗତ ହୋଇଥିଲା। ଏହି ବିଲ୍ ଉପରେ ଆଲୋଚନା ସମୟରେ ବିଜେପି ଅଧ୍ୟକ୍ଷ ତଥା ସାଂସଦ ଜେପି ନଡ୍ଡା କହିଥିଲେ ଯେ ଅନେକ ସରକାର ଏହି ବିଲ୍କୁ ପାରିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ହିଁ ମହିଳା କୋଟାକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ।
ବିଜେପି ମୁଖ୍ୟ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ମହିଳାଙ୍କର ଏବଂ ଭାରତୀୟ ମହିଳାମାନେ ସମସ୍ତ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି - ସେ ବିଜ୍ଞାନ ହେଉ, ସାମରିକ ହେଉ, ଶିକ୍ଷା ହେଉ କିମ୍ବା ଅର୍ଥନୀତି ହେଉ।ଏହା ପୂର୍ବରୁ ବୁଧବାର ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଆଲୋଚନା ବେଳେ ସୋନିଆ ଗାନ୍ଧୀ କହିଥିଲେ ଯେ ମହିଳା କୋଟା ବିଲ୍ ପାରିତ ହେବା ଦ୍ୱାରା ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ।
ତେବେ ଏହାର କାର୍ୟ୍ୟାନ୍ୱୟନରେ ବିଳମ୍ବକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାର ବ୍ୟବସ୍ଥା ତୁରନ୍ତ କାର୍ୟ୍ୟକାରୀ କରିବାକୁ ଦାବି କରିଛନ୍ତି।