ସଂସଦର ସ୍ୱତନ୍ତ୍ର ଅଧିବେଶନର 3ୟ ଦିନ: ଲିଙ୍ଗଗତ ସମାନତା ଦିଗରେ ଭାରତର ଲଢ଼େଇରେ ଯାହାକୁ ଲାଲ ଅକ୍ଷରର ଦିନ କୁହାୟାଇପାରେ, ବୁଧବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ 454 ଭୋଟରେ ପାରିତ ହୋଇଛି। ଏହି ବିଲ୍ ଦ୍ୱାରା ଲୋକସଭା ଓ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାଙ୍କୁ 33% ସିଟ୍ ମିଳିବ। ଦୀର୍ଘ 25 ବର୍ଷରୁ ଅଧିକ ସମୟର ପ୍ରତୀକ୍ଷା ପରେ ଏହି ମୁହୂର୍ତ୍ତ ଆସି ପହଞ୍ଚିଥିଲା।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲ୍କୁ ନୂଆ ଲୋକସଭାରେ ଆଗତ କରିଥିଲେ ମଧ୍ୟ ଗୃହ ମୁଲତବୀ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ବୁଧବାର ପୁଣି ଆଲୋଚନା ହୋଇଥିଲା। ନୀତି ନିର୍ଦ୍ଧାରଣରେ ଅଧିକ ସଙ୍ଖ୍ୟକ ମହିଳାଙ୍କୁ ସାମିଲ କରାୟିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯାହାଫଳରେ ଦେଶ ପ୍ରତି ସେମାନଙ୍କ ଅବଦାନ ଆହୁରି ବୃଦ୍ଧି ପାଇବ। ମହିଳା ସଶକ୍ତିକରଣର କାର୍ୟ୍ୟକୁ ଆଗକୁ ନେବା ପାଇଁ ଭଗବାନ ତାଙ୍କୁ ସୁୟୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।
ସଂସଦର ନୂଆ ଭବନରେ ନିଜର ପ୍ରଥମ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର 'ନାରୀ ଶକ୍ତି ବନ୍ଦନ ଅଧିନ୍ୟମ୍' ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।ବିଲ୍ର କେତେକ ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗ୍ରେସ ଏହି ବିଲ୍ ଆଗତକୁ 'ନିର୍ବାଚନୀ ଜୁମ୍ଲା' ଏବଂ 'ମହିଳାଙ୍କ ଆଶା ପ୍ରତି ଏକ ବିରାଟ ବିଶ୍ୱାସଘାତକତା' ବୋଲି କହିଛି।
ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର 18 ତାରିଖରୁ ଆରମ୍ଭ ହୋଇ 22 ତାରିଖରେ ଶେଷ ହେବ। ସେପ୍ଟେମ୍ବର 19ରେ ଭାରତୀୟ ସାଂସଦଙ୍କୁ ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତର କରାୟାଇଥିଲା। ପୁରୁଣା କୋଠାକୁ ଭୁଲି ନ ଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଛନ୍ତି, କାରଣ ଏହା ଅସଙ୍ଖ୍ୟ ଐତିହାସିକ ନିଷ୍ପତ୍ତି ଏବଂ ମୁହୂର୍ତ୍ତର ସାକ୍ଷୀ ରହିବ। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଲୋକସଭା ବାଚସ୍ପତି ମଙ୍ଗଳବାର ପୁରୁଣା ସଂସଦ ଭବନର ନାମ ପରିବର୍ତ୍ତନ କରି 'ସମ୍ବିଧାନ ସଦନ' ରଖିଛନ୍ତି ।