ଚତୁର୍ବିଂଶ ପରିଚ୍ଛେଦ
ଖୁଣି ତଦାରଖ୍ :
ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା | ଦୋକାନ ଫିଟାଇ ମେଲା ଘରକୁ ଅନାଇଦେଲା । ଯାହା ଦେଖିଲା, ସେଥିରେ ତାକୁ ପ୍ରାୟ ଝାମ୍ ମାରିଗଲାଣି, କାଠଟି ପରି ଛିଡ଼ାହୋଇଛି ପାଟିରେ କଥାନାହିଁ | କେବେ ଦେଖା ନାହିଁ , କେବେ ଶୁଣା ନାହିଁ, ଗୋଟିଏ ଲୋକ ଚାଳକୁ ଚାହିଁ ମରିପଡ଼ିଛି, ଘରସାରା ରକ୍ତମୟ ଖଲିପତ୍ରରେ ରକ୍ତ ଚୁଲୀ ମୁହଁରେ ରକ୍ତ ଭାତ ହାଣ୍ଡିରେ ରକ୍ତ ପିଚକାରୀ ମାରି କାନ୍ଥ ବାଡ଼ରେ ଝୋଟି ଦେଲାପରି ହୋଇଯାଇଛି । ଗୋପୀ ଧାଇଁ ଯାଇଁ ଗାଁରେ କହିଲା । ଗାଁ ଲୋକ ଧାଇଁଲେ । ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ଡିକୁ ଏତଲା ଦେବାକୁ ଧାଇଁଲା । ମକ୍ରାମପୁରରେ ବାଲାଗସ୍ତ ଫାଣ୍ଡି ଗୋପାଳପୁରଠାରୁ ଦେଢ଼କୋଶ ଦୂର । ବେଳ ତିନିପ୍ରହର ସମୟରେ ବାଲାଗସ୍ତ ଜମିଦାର ସେଖ୍ ତୋରାବଲ୍ଲ ବରକନ୍ଦାଜ ଫତୁ ଖାଁ ଘଟନା ସ୍ଥାନରେ ଆସି ଉପସ୍ଥିତ ହେଲେ । ସେଖ ତୋରାବଲ୍ଲି ଜଣେ ରବେୟା ହାକିମ । ଆଖ ପାଖ ଚାରିକୋଶରେ ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି ; ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଜମିଦାର ସାହେବ ସରଜମନରେ ଉପସ୍ଥିତ ହୋଇ ଦାଢ଼ି ଆଉ ନାକ ଘୋଡ଼ାଇ ଲାସ୍ ମାଇନା କରିବାକୁ ଗଲେ । ଲାସ୍ ଗୋଟିଏ ସ୍ତ୍ରୀ ଲୋକ, ପାଟ ଶାଢ଼ୀ ଖଣ୍ଡେ ପିନ୍ଧିଛି , ହାତରେ ବେକରେ ରୁପା ଓ ସୁନାର କେତେଖଣ୍ଡ ଅଳଙ୍କାର । ପଠାଣମାନେ କୁକୁଡ଼ା ଜଭେ କଲାପରି ତାହା ବେକକଟା, ପାଖରେ ଖଣ୍ଡେ ରକ୍ତବୋଳା ଖୁର ପଡ଼ିଛି , ଲାସ୍ ଚାରି ଆଙ୍ଗୁଳି ଜିଭ କାଢିପକାଇ କାମୁଡ଼ି ଦାନ୍ତ ନିସାଡ଼ି ଦେଇଅଛି, ଚାଳକୁ ତରାଟି ଚାହିଁଅଛି ବାଳମୁକୁଳା, ରକ୍ତରେ ଲଟପଟ, ଦୁଇପାଖରେ ଚାରି ଆଙ୍ଗୁଳ ବହଳରେ ରକ୍ତ ପଚି କାଳିଆ ପଡ଼ିଗଲାଣି, ସେଥୁରୁ ଗୋଟାଏ ଉତ୍କଟ ଦୁର୍ଗନ୍ଧ ବାହାରୁ ଅଛି । ଗାଲ ଦୁଇଟା ଓଆଉପରି ଓ ପେଟଟା ଗୋଟାଏ ଓଳିଆପରି ଫୁଲିଗଲାଣି । ଦେଖାଗଲା , କୌଣସି ଲୋକ ତାହା ବାଳ କରିନାହିଁ, ସାପକାଟି । '' ଗୋପୀସାହୁ ଦୋକାନୀ ଆଗକୁ ଆସି ସାକ୍ଷଦେଲା ''ଧର୍ମାବତାର , ଏଠାରେ ସାପର ଭାରି ଉପଦ୍ରବ ନଈବଢିରେ କାହୁଁ ଭାସିଆସି ହଜାର ହଜାର ସାପ ଏଠି ଅଛନ୍ତି , ସାପ ଭୟରେ ଗ୍ରାମଭାଙ୍ଗିଗଲା ମୁଁ କାଲି ଦୋକାନକୁ ଆସିଥୁଲି, ଗୋଟାଏ ଲମ୍ବ କୋଳଥ୍ ନାଗ ବୁଲୁଥିଲା, ମୁଁ ଭୟରେ ପଳାଇଲି । ''
ଛାଟିଆମୁଟରୁ ମଳିକ କହିଲା, ''ଧର୍ମାବତାର !ଏଠେଇଁ ଅନେକ ସାପ, ମୁଁ ସେଦିନ ହଜୁରକୁ ଏଇବାଟେ ଯାଉଥ୍ଲି, ଏହିଗଛମୂଳରେ ପନ୍ଦରଟା ନାଗସାପ ଶୋଇଥିଲେ, ମୁଁ ଦେଖୁ ପଳାଇଲି | ''
ଗତ ପରଦିନ ରାତ୍ରୀରେ ସ୍ତ୍ରୀ ଲୋକଟା ଘର ମଧ୍ଯରେ ଶୋଇଥିବା ସମୟରେ ଦୁଆରେ ଗୋଟାଏ ତମ୍ପସାପ ବୁଲୁଥିବା ବିଷୟରେ ମୁଗପୁର ମୌଜାର ଛାଟିଆ ଧପଟ ସିଂ ସାକ୍ଷ୍ୟ ଦେଲା ।
ଜମଦାରସମସ୍ତଙ୍କର ସାକ୍ଷ୍ଯ କଲମ ବନ୍ଦ କରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମର ଭିକ୍ଷା କରି ଖାଉଥବା ଓ ତାହାକୁ ଗତ ପରଦିନ ରାତ୍ରିରେ ଗୋପାଳପୁର ମୌଜାରେ ସାପକାଟି ହୋଇଥିବା ଓ ଲାସ ଦେହରେ ସାପକାମୁଡା ଚିହ୍ନ ଜାହେର ଥିବା ଏବଂ ଏହାର ମୃତ୍ୟୁ ବିଷୟରେ ଅନ୍ୟ ପ୍ରକାର ସକ୍ କିମ୍ବା ଦାବିଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ୍ କଲେ । ଦାରୋଗା ଏବଂ ମୁନ୍ସଙ୍କ ରୋସମ୍ ସହିତ ରିପୋର୍ଟ ପୁଲିସ୍ ଥାନାକୁ ପଠାଗଲା । ଜମାଦାରଙ୍କ ହୁକୁମ ଅନୁସାରେ ଚାରି ଜଣ ହାଡି ଲାସ୍ ବେକରେ ଦଉଡି ଲଗାଇ ଭିଡି ଭିଡି ନେଇ ନଦୀରେ ଭସାଇଦେଲେ । ନାଉରି ଚାନ୍ଦିଆ ବେହେରା ଦେଖିଲା ଲାସ୍ ନଦୀରେ ଭାସି ଯାଉଁ ଯାଉଁ ଯେଉଁଠାରେ ବାଟୋଇକୁ କୁମ୍ଭୀର ଧରିଥିଲା, ଠିକ୍ ସେହି ସ୍ଥାନରେ ତାକୁ ଗୋଟାଏ କୁମ୍ଭୀର ଧରି ଘେନିଗଲା ।
ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜ କହିଲା, '' ଦେଖ, ଏଡେ ମାମଲାଟାରେ ଦୁଇଶ ମଧ୍ଯ ପୂରା ହେଲା ନାହିଁ | '' ବରକନ୍ଦାଜ କହିଲା, '' ଖୋଦା ମାଲିକ, ଯୋ ହୁକୁମ ହୁଆ ।''
ଗୋପୀ ସାହୁ ସେହିଦିନଠାରୁ ଆଉ ଦୋକାନକୁ ଯାଇନାହିଁ, କାର୍ଭିକ ତିନିଦିନିଆ ଲଗାଣରେ ଘର ପଡିଗଲା, ସେ ବାଟଟା ମଧ୍ୟ ପଡିଗଲା । ଚାନ୍ଦିଆ ବେହେରା ଅଧକୋଶେ ତଳକୁ ହରିପୁର ପାଖରେ ନାଆ ପକାଇଲାଣି । ରାତି ତ ରାତି, ଦିନରେ ମଧ୍ୟ ଭୟରେ ସେଠାକୁ କେହି ଯା'ନ୍ତି ନାହିଁ | ସେହି ବରଗଛରେ ଗୋଟାଏ ବଡ ପେତୁଣୀ ବସି ଡାଳ ଦୋହଲାଏ, ମଧ୍ୟ ସେହି ପେତୁଣୀଟା ଖରାବେଳେ ନଦୀ ବାଲି ଉଡାଇ ଖେଳୁଥିବାର ଅନେକ ଲୋକ ଦେଖିଲେଣି । ଗୋପାଳପୁର ତୋଠର ଆଉ ନାମ ନାହିଁ, ଲୋକେ କହନ୍ତି । ପେତୁଣୀପଦା ।