ପଞ୍ଚବିଂଶ ପରିଚ୍ଛେଦ
ମଙ୍ଗରାଜ ଘରର ହାଲଚାଲ :
ଛଅମାଣ ଆଠଗୁଣ୍ଠ କ'ର ? କଥ୍ତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ ; ମାତ୍ର ସେହି ମଣି ଆମ୍ଭମାନଙ୍କ ପୂଜନୀୟ ମହାମାନ୍ୟା ପ୍ରତ୍ଯକ୍ଷ କମଳାସ୍ୱରୂପା ଶ୍ଵେତଦ୍ଵୀପ ବାସିନୀ ଭାରତେଶ୍ଵରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ଡ ର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରି ବିଷ ଦେବାଦେବ ଉମାପତିଙ୍କ କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ସ ପ୍ରକାଶ କରୁଅଛି । ସାର କଥା ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡେ ବଡ କଥା ଛାଡିଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ ଛମାଣ ଆଠଗୁଣ୍ଠ କଥା ଦେଖ । ଲୋକମାନେ କହନ୍ତି, '' ଗୋବିନ୍ଦପୁର ଗାଁ ତଳଚକ ଛମାଣ ଆଠଗୁଣ୍ଠ ଜମି ପରି କଳିନ୍ଦି ଆଉ ନାହିଁ, ମାତ୍ର ଜମିଟା ଘରବୁଡା । ବାଘସିଂହ ବଂଶଟା ଲଣ୍ଡଭଣ୍ଡ ହୋଇଗଲା । ସାରିଆ ତ ଧନ-ପ୍ରାଣରେ ଗଲା, ମଙ୍ଗରାଜ ବଂଶ କଥା ତ ଦାଣ୍ଡରେ ପଡିଛି । ଜମିଟା ନେବାର ଛ ମାସ ଛ ପକ୍ଷ ଯାଇ ନାହିଁ, ଦଶାଟା ଦେଖ । ''
କଟକ ଯିବାର ଚତୁର୍ଥ ଦିନ ସକାଳେ ଦେଖାଗଲା, ଗନ୍ତାଘର ଚାରିଜାଗା ଆଣ୍ଡିଏ ଖୋଳା । ସେହିଦିନ ସକାଳୁ ଗୋବିନ୍ଦା ଆଉ ଚମ୍ପା ଉଆସ ମଧ୍ୟରେ ଦିଶୁ ନାହାନ୍ତି, ସେ ଦୁଇ ଜଣ ଆଗଲି ପିଛିଲି ହୋଇ କଟକ ଦାଣ୍ଡ ପଦ୍ମପୁର ଗହୀରରେ ଯାଉଥିବାର ଲୋକେ ଦେଖୁସି ଗ୍ରାମରେ କହିଲେ । ପୁଅମାନେ ବାପ ଭୟରେ ଶଙ୍କି ରହିଥିଲା, ଏତେବେଳେ ପୋବାର ପଡିଯାଇଅଛି । ବଡପୁଅଙ୍କର ଆଗରୁ କିଛି ବାତୁଳ ଛିଟା ଥୁଲା, ବର୍ତ୍ତମାନ ଦିନ ରାତି ଗଞ୍ଜେଇ ଭିଡି ଭିଡି ସଫା ବାୟା ହୋଇଗଲେଣି । ମଝିଆଁ ଆଉ ସାନ ପୁଅଙ୍କର ନାକ ପୋଛିବାକୁ ତର ନାହିଁ, ମକର ସଂକ୍ରାନ୍ତି ମୁଣ୍ଡଉପରେ, ଗୋବରା ଚଢ଼ାଇ ଧରିବାରେ ଲାଗିଅଛନ୍ତି ଦିନ ରାତି ଧାନ ବିକା ଲାଗିଛି | ମଙ୍ଗରାଜ ଜଣ ମଙ୍ଗରାଜଙ୍କ ଆଜି ଗାଁରେ ଚହଳ ପଡିଛି, ମଙ୍ଗରାଜ ଘରଦ୍ଵାରା ନିଲାମ ହେବ । ବେଳ ଅନ୍ଦାଜ ଛ ଘଡି, ପୋଲିସ ଜମାଦାର, ବରକନ୍ଦାଜ ଛାଟିଆ ଏଇ ଆଠ ଦଶ ଉଆସ ଦୁଆରେ ଉପସ୍ଥିତ ହେଲେ । ଜଜ ସାହେବ ମଙ୍ଗରାଜଙ୍କୁ ହଜାରେ ଟଙ୍କା ଜୋରିମାନା କରିଥିଲେ, ଚଳନ୍ତି ସମ୍ପଭି ନିଲ ହୋଇ ଟଙ୍କା ଅସୁଲ ହେବ । ଜମାଦାର ଘରେ ପଶି ମାଲମତାଗୁଡିକ ବହିଆଣି ଦାଣ୍ଡରେ ଜମା କରୁଅଛନ୍ତି । ବଣି ବସାରେ ଢ଼େମଣା ପଶିଲାପରି ଭୁଆସୁଣୀଗୁଡାକ ଘରୁ ବାହାରିଯାଇ ଉଆସ ପଛ ତୋଟାରେ କାଉଳି ହେଉଛନ୍ତି । ପୁଅ କେହି ଘରେ ନାହାନ୍ତି । ଛାମୁକରଣ କ'ଣ କହିବାକୁ ଯାଉଥିଲା, ଜମାଦାର ଆଖ୍ ଦେଖାଇବାରୁ ତୁନି ହୋଇ ଗାଲରେ ହାତ ଦେଇ ପିଣ୍ଡାରେ ବସିପଡିଅଛି | ମୁକୁନ୍ଦା ସମସ୍ତଙ୍କ କଥାରେ ହୋଇ ଆଜ୍ଞା, ହୋଇ ଆଜ୍ଞା କହି ଲଣ୍ଡଭଣ୍ଡ ହେଉଛି ।
ଦାଣ୍ଡରେ ମାଲମତ ଗୁଡାକ ନିଲାମ ହେଲା | ନିଲାମ ତ ନିଲାମ, ଦି'ପାଣିଆ ବଳଦ ହଳକର ଦାମ୍ ସାଢ଼େ ଚାରି କି ପାଞ୍ଚ କେବେ କିଏ ଶୁଣିଥିଲା ? ଦୁହାଁଳ ଗାଈଗୁଡାକ ଟଙ୍କାଏ ଟଙ୍କାଏ, ଦି' ବରଷିଆ ଛଡା ସାଙ୍ଗେ ସାଙ୍ଗେ । ପ୍ରଥମେ ପ୍ରଥମେ ନିଜ ଗାଁ ଲୋକ ନିଲାମ ଡାକୁ ନ ଥିଲେ, ଦାମ୍ ଦେଖୁ ପଛନ୍ତେ ଗୋଟାକ ଉପରେ ଗୋଟାଏ ପଡ଼ିଲେ । ଜମାଦାର ତ ନିଲାମ କରି ଟଙ୍କା ଘେନିଗଲା, ବାକି ଯେ ଗାଈ-ବଳଦଗୁଡାକ, ଥିଲେ ଏ ବିଲ, ସେ ବିଲ, ଏ ଦାଣ୍ଡ ସେ ଦାଣ୍ଡ , ଲଣ୍ଡଭଣ୍ଡ ହେଉଛନ୍ତି ଆୟତିବାକୁ କେହି ନାହିଁ, ବଙ୍ଗଳା ଗୋଆଲା ଗୋଠରେ କେତେ ଗଲେଣି, କେତେ ବଣା ହୋଇ ଆଉ ଆଉ ଗ୍ରାମରେ ଉଠୁଅଛନ୍ତି । ହଳିଆମାନେ ଦୁଇ ଦୁଇ ବରଷର ବିରତନ ପାଇ ନ ଥିଲେ, ଶୁଣାଯାଏ ତୋଟା, ନଡିଆ ବଗିଚା, ଗୋରୁଗାଈରୁ ସେମାନେ ଅସୁଲ କରି ନେଉଛନ୍ତି ।
ତୁଳ ଅଧାଅଧ୍ ହେଲାଣି, ଆଶୁଧାନ ଶୁକ୍ରବାର ହୋଇନାହିଁ, ପାଣ ହଳିଆଗୁଡାକ ପଳାଇଗଲେଣି, ଖାଲି ପଳେଇବା ନୁହେଁ, ଗୋରୁ ଲାଙ୍ଗୁଡ ଧରି ପାର ।
ଗାଁର ତିଳପରି କଥାଟା ହାଟରେ ତାଳପରି ଫୁଲିଯାଏ, ସେ କଥାଟା ଏକା ସତ । ଚାରିଆଡେ କଥା ବାଜିଛି, ଜଜସାହେବ ମଙ୍ଗରାଜେଙ୍କ ହାତରୁ ତାଲୁକ ଛଡାଇନେଇ ଜଣେ ଓକିଲକୁ ଦେଲେ । ସେ ଓକିଲ ଆସନ୍ତା ମକର ସଂକ୍ରାନ୍ତି । ଦିନ ଦୁଇଶ ପାଇକ ଘେନି ପାଞ୍ଚଟା ଘୋଡା, ଦୁଇଟା ସବାରିରେ ଚଢ଼ି ଗାଁ ଦଖଲ କରିବାକୁ ଆସିବ । ପ୍ରଜାମାନେ ଶୁଣି କହିଲେ, '' ଘୋଡାରେ ତୋତେ ଚୋର ନେବ, ନା ସେଠି ଦାନାପାଣି ଏଠି ଦାନାପାଣି । ଯେ ରାଜା ହେବ, ତା'ର ପ୍ରଜା ହେବ୍ରୁ, ଆପଣା ଗଣ୍ଡାକ କିଏ ଛାଡିବ ?" ମାତ୍ର ଦୁସ୍ମନ୍ ପକ୍ଷିଆ ଲୋକମାନେ ଭାରିଖୁସି । ଆପଣା ଅସୁଲ ତ ଥାଉ, ଡରରେ ଲାଜରେ ପାଇକ ଗାଁରେ ଛିଡାହୋଇପାରୁ ନାହାନ୍ତି । ବେଗଡା ଲୋକେ ପାଇକମାନଙ୍କୁ ଦେଖିଲେ ଗଛ ପତ୍ରକୁ ଲଗାଇ ଦୁଇପଦ କଥା ଶୁଣାଇଦିଅନ୍ତି ।