ସପ୍ତଦଶ ପରିଚ୍ଛେଦ
କିପରିଘର ପୋଡ଼ିଲା :
ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁଡ଼ାକ ଛିଡ଼ା ହୋଇଅଛି । ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଘର ଭିତରେ ଚାଳ ବସିଯାଇ ଧୂ ଧୂ ହୋଇ ଜଳୁଅଛି ମୂଳିବାଉଁଶଗୁଡ଼ାକ ଫଟ୍ ଫଟ୍ କରି ଫୁଟୁଅଛି । କେଉଁଠାରେ କାନ୍ଥ ଉପରେ ବାଉଁଶ ଯୋଡ଼ାଏ, କେଉଁଠାରେ ନଡ଼ା ମେଞ୍ଚାଏ ଲାଗି ଜଳୁଅଛି | ମୋଟା ମୋଟା ଖମ୍ବଗୁଡ଼ାକ ଅଗ୍ନିସ୍ତମ୍ବ ପରି ଦିଶୁଅଛି । କବାଟରେ ନିଆଁ, ଚୌକାଠରେ ନିଆଁ, ଚାରିଆଡ଼େ ନିଆଁ । ଧାନଘର ଭିତରେ ନିଆଁ ପଶି ଭାରି ଧୂଆଁ ବାହାରୁଅଛି । ଜ୍ୟେଷ୍ଠମାସିଆ ଦିନ, ଚାଳ ବାଡ଼ ଶୁଖ୍ ସବୁ ଝୁଣା ହୋଇ ରହିଥିଲା, ପାଖ ମୁହିଁବାକୁ ସାଧ୍ୟକାହାର ? ପବନ ଏତିକିବେଳେ କାହିଁ ଥିଲା । କେବଳ ଆଟୁ ଭିତରକୁ ନିଆଁ ଯାଇପାରି ନାହିଁ, କବାଟ ଧରିଲାଣି । ହଳିଆମାନେ ମାଠିଆ ମାଠିଆ ପାଣି ପକାଇ ଆଟୁ କବାଟ ପାଖକୁ ଯିବାକୁ ଚେଷ୍ଟା କରୁଅଛନ୍ତି ଯାତ୍ରାକାଳିଆମାନେ ବାହୁଡ଼ି ଅଇଲେଣି । ଦିନ ଛ ଘଡ଼ି, ତଳେ ନିଆଁ, ଉପରେ ନିଆଁ ଘରୁକୁଟାକେରାଏ ବାହାରି ନାହିଁ । ଅଧରାତିରେ ନିଆଁ ଲଗିଲା ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ ଦେହଲୁଗା ଘେନି ବାହାରି ତୋଟା ମଧ୍ୟରେ ଗଛମୂଳେ ବସିଅଛନ୍ତି । ବଣବିରାଡ଼ି ପରି ଘରନିଆଁକୁ ଅନାଇ ଡ଼କା ପାଡ଼ୁଛନ୍ତି । ହଳିଆ ମାନେ ଗାଈ ବଳଦ ଫିଟାଇଦେଇ ଆଗରୁ ପଳାଇଯାଥିଲେ। ସେମାନେ ଚେଷ୍ଟା କରିଥିଲେ କେତେକ ଜିନିଷ ବଞ୍ଚାଇପାରିଥାଆନ୍ତେ ; ମାତ୍ର ପରପାଇଁ କେତେଜଣ ନିଆଁରେ ପଶନ୍ତି ? ଦିନ ବୁଡ଼ିଆସିଲାଣି । ବାଘସିଂହ ଘରେ ପିଲାଠାରୁ ବୁଢାଯାଏ କାହାରି ଦାନ୍ତରେ ଦାନ୍ତକାଠି ବାଜିନାହିଁ ; ପିଲାଗୁଡ଼ିଙ୍କୁ ଆଉ ବୋହୁଗୁଡ଼ାଙ୍କୁ ଝୋଲା ମାରିଗଲାଣି । ବୁଢ଼ା ପୁରୋହିତ କେଳୁ ରଥେ ଅନେକ ବୁଝାଇ ସମଝାଇ ଦାନ୍ତ ଘସାଇଲେ ଘରୁ ଗୁଡ଼, ଚୁଡ଼ା କଂସା କଂସା ତୋରାଣି ସମସ୍ତଙ୍କୁ ମୁଦାଏ ମୁଦାଏ ପିଆଇ ସାଷ୍ଟମ କରାଇଲେ । ମାଈକିନିଆ ମଧ୍ୟରେ କେହି ଖାଇଲା ବା କେହି ନ ଖାଇଲା, ବାଘସିଂହ ଘରଆଡ଼େ ଚାହିଁ ଢ଼କଢ଼କ କରି ଢ଼ାଳେ ପାଣି ପିଇଦେଇ ପଡ଼ିଗଲେ । ଧାନଘର ଛାଡ଼ି ଆଉ ଆଉ ଘରେ ନିଆଁ ଲିଭିଲାଣି, କୌଣସି କୌଣସି ଘରୁ ଅଳପ ଅଳପ ଧୂଆଁ ବାହାରୁଅଛି। ରାତି ଅନ୍ଦାଜ ଦୁଇଘଡ଼ି, ଭାଇମାନଙ୍କ ସହିତ ବାଘସିଂହ ଆଉ ଗାଁଲୋକେ ସମସ୍ତେ ଗୋଟାଏ ଗଛମୂଳେ ବସିଛନ୍ତି । ବାଘସିଂହ ପଚାରିଲେ, ''ନିଆଁ କିପରି ଲାଗିଲା ? '' ସମସ୍ତଙ୍କର ପ୍ରଶ୍ନ --ନିଆଁ କିପରି ଲାଗିଲା?ଉତ୍ତର ଦେଉଛି କିଏ? କେଳୁ ରଥେ କହିଲେ, ''ନିଆଁ ଲଗାଇବ କିଏ, ବାଘଦୁଆରକୁ କିଏ ଆସିବ। ହିଙ୍ଗୁଳା ଠାକୁରାଣୀଙ୍କର କର୍ମ । ''ସମସ୍ତେ ତାହାଙ୍କ ମୁହଁକୁ ଚାହିଁ କହିଲେ, '' ଠିକ୍, ଏଇ କଥା ଠିକ୍ । ''ଗୋବିନ୍ଦ ରଥେ କହିଲେ, ''ନାହିଁ ହୋ ତାହା ନୁହେଁ, ବୁଢୀ ମଙ୍ଗଳାଙ୍କ କୋପ । ଦେଖ ନାହାନ୍ତି ମଙ୍ଗରାଜ ବରଷକସାରା ପୂଜା ଲଗାଉଛନ୍ତି । ମୁଁ କେତେ ଥର କହିଲି ପୂଜା ପଠାଅ ଶୁଣିଲେନାହିଁ, ଏବେ ଦେଖିଲେତ ? ମୁଁ ନବୁଝି ନସୁଝି କଛି କଥା କହେ ନାହିଁ । ଠାକୁରାଣୀ କୁଟ ନ ହେଲେ ଓଳିପଛ ପାଳଦଉଡ଼ି ଗଦାରୁ ନିଆଁ କାହୁଁ ଅଇଲା ? ''ମାଣିକ କହିଲା, ସେସବୁ "କଥା ଯାହାହେଉ, ନୂଆବୋହୁ ପହରାଟା ଏକା ବଡ଼ ଖରାପ । ସେ ଏ ଘରେ ପାଦଦେବା ଦିନୁ ନାନା ଅମଙ୍ଗଳ ଗୋଡ଼ାଇଛି ।'' ଶାମା ମାଆ କହିଲା, ''ଏକଥାଟାଏକା ସତ, ଠିକ୍ ସତ । ଡ଼ରରେ ସିନା କହିପାରୁନଥିଲି! ଦେଖିଲେ ନା ଚୈଇତମାସରେ କିଛି କାହିଁ ନାହିଁ, ଗାଈଟାକୁ ସାପ ଦଂଶିଦେଲା !ସାପ କି ଏ ଗାଁରେ ନ ଥିଲେ ? ଗାଈ କାମୁଡ଼ିଥିଲେ କେଉଁ ଦିନ? ମୋହର ତ ବାରପୁଞ୍ଜା ବୟସ ହେଲା, 'ବାଘସିଂହ ଘର ଗାଈକୁ ସାପ କାମୁଡ଼ିଛି', ଏକଥା ଶୁଣି ନାହିଁ । "ମଓରା ହଳିଆ କହିଲା, ନୁହେଁ ତ କ'ଣ? ଦୁଇବରଷ ତଳେ ମୋହର ହାତୀ ପରି ଦୁଇଟା ବଳଦ ଗୁମ୍ଗୁମ୍ କରି ବସିଗଲେ । '' ଅର୍ଜୁନା ହଳିଆ କହିଲା, ''ଏହି ଆମ୍ବ ତୋଟାରେ ଗୋରୁ ଚରୁଥିଲେ, ଏ ବରଷ ଗୋଟାଏ ଦେଖିବାକୁ ସପନ । "ହଳିଆ ହଳିଆଣୀ, ଭଣ୍ଡାରି ଭଣ୍ଡାରୁଣୀ ସମସ୍ତଙ୍କ ଅନୁମାନ, ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗଦ୍ଵାରା ସ୍ଥିରହେଲା ବୋହୁ ପହରା ଘରପୋଡ଼ିର କାରଣ ଅଟେ । ଏହି ସିନ୍ଧାନ୍ତର ପୋଷକତାନିମନ୍ତେ ମାଣିକ ପୁନଶ୍ଚ କହିଲେ, '' ଦେଖୁନାହଁ, ବୋହୁ ମାଉସୀ ଯେପରି ପାଦ ଦେଇଛି, ତିନିଦିନ ଯାଇନାହିଁ, ତିନି ପକ୍ଷ ଯାଇନାହିଁ ଅମଙ୍ଗଳ ବୋଉ ମାଉସୀର ଆଗମନ, ସାଙ୍ଗେ ସାଙ୍ଗେ !' ବାଘସିଂହ ପଚାରିଲେ, ''ବୋହୁ ମାଉସୀ କିଏ ?ବୋହୁ ମାଉସୀ କିଏ? ଡୋଲିଚଢି ଅଶ୍ଵାରୋହଣପୂର୍ବକ ଡ଼ାଳିଯୋଡ଼ା ଫତେ ସିଂହଙ୍କର ଦେବଦର୍ଶନକୁ ଯାତ୍ରା ଇତ୍ୟାଦି ଯଥା ଦୃଷ୍ଟ ; ଯଥା ଶ୍ରୁତ ସାଳଙ୍କାରେ ପୂର୍ବକଥ୍ତ ମାଣିକ ବର୍ଣ୍ଣ ନା କଲା ଏବଂ ସଙ୍ଗେ ସଙ୍ଗେ ମାଉସୀ ଆଣି ଧ୍ରୁବ ଭାରର ସଂଖ୍ୟା, ଭାରସ୍ଥିତ ପଦାର୍ଥମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ବିସ୍ତୃତ ହେଲାନାହିଁ | ସାବି ମା କେଉଟୁଣୀ କହିଲା, ''ସେ ଗୋବିନ୍ଦପୁରକୁ କେତେଥର ଚୁଡ଼ା ବିକିବାକୁ ଯାଇ ଦେଖୁସିଛି, ବୋହୁ ମାଉସୀ ରୂପ ଠିକ୍ ରାମଚନ୍ଦ୍ର ମଙ୍ଗରାଜ ଘରର ଚମ୍ପାପରି । ' ଶଙ୍କରା ହଳିଆ କହିଲା, '' ଯେଉଁ ଲୋକଟା ପଣସ ଭାର ଆଣିଥିଲା, ସେଟା ମଙ୍ଗରାଚଙ୍କ ହଳିଆ । '' ବାଘସିଂହ ଭାଇମାନେ ମୁହଁ ଚାହାଁଚୁହିଁ ହୋଇ କହିଲେ '' କାହିଁ, ଆମ୍ଭେମାନେ କେନ୍ଦ୍ରାପଡାରୁ ଆସୁଅଛୁ, ଡୋଲି କିମ୍ବା ଘୋଡା ତ ଦେଖୁଲୁ ନାହିଁ ?'' କେନ୍ଦ୍ରପଡା ଏବଂ ଡାଲିଯୋଡା ଫତେସିଂହଙ୍କ ଘରଠାରୁ ରାତିରାତି ଲୋକ ଗଲେ । ସେମାନେ ବାହୁଡି ଯେଉଁ ସମ୍ବାଦ ଦେଲେ, ସେଥିରୁ ଜଣାଗଲା, ସର୍ବେବ ମିଥ୍ୟା, ମାଉସୀର ଅସ୍ତିତ୍ଵ ଅସ୍ଵୀକାର । ଏହି ଘଟନା ଘେନି ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା, ଆଖ ପାଖ ଗ୍ରାମରେ ମଧ୍ୟ କଥା ପଡିଲା । ସମସ୍ତେ ଅନୁମାନ କଲେ, ଏହା ମଙ୍ଗଳାର ମାୟା । ଆମ୍ଭେମାନେ କହୁ, ପିଶାଚୀର କାର୍ଯ୍ୟ ହୋଇପାରେ । ଡାଳିଯୋଡା ଫତେସିଂହ ସଙ୍ଗୁଳି ଆସି ଝିଅକୁ ଘେନିଗଲେ । ଲୋକେ କହନ୍ତି , ପିଲାଟା ଯେପରି ଅନ୍ନଜଳ ଛାଡି ବସିଥିଲା, ବାପ ଘେନିଯାଇ ନ ଥିଲେ, ପ୍ରାଣ ପାଇବା କଠିନ ହୋଇଥାନ୍ତା ।