ଷଡ଼ବିଂଶ ପରିଚ୍ଛେଦ
ବାବାଜୀ ଲଳିତା ଦାସ :
ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲଥୁକୁଲ, ମୁଣ୍ଡଟି ଲଣ୍ଡା, ମଝିରେ ତରଭୁଜ ଡେମ୍ଫପରି ଚୂରକି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି । ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ନାସା ଅର୍ଷରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍ଲେଟର ଅଫିସରୁ ବେରଂ ଚିଠି ବାହୁଡିଲାପରି ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହରନ୍ତି । ପରିଧାନ କୌପୀନ ; ତାହା ଉପରେ ବହିର୍ବାସ ପିଠିରେ ନାମାବଳୀ, ହାତରେ ଝୁଲି । ବାବାଜୀ ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି , ସନ୍ଧ୍ୟା ସମୟରେ ଖଞ୍ଜଣୀ ବଜାଇ କୀର୍ତ୍ତନ ଗା'ନ୍ତି, ତହିଁ ଉତ୍ତାରେ ଚୈତନ୍ୟ ଭାଗବତ ପାଠ । ସନ୍ଧ୍ୟା ସମୟରେ ଭାଗବତଘରେ ଭାରି ବୈଠକ ହୁଏ ଗ୍ରାମର ବୁଢ଼ା ଭଳିଆ ଦଶ ବାରଜଣ ତନ୍ତୀ ଭେକ ନେବାର କଥା ହେଲାଣି । ବାବାଜୀଟି ଭାରି ନିର୍ଲୋଭ କହି କିଛି ଦେଲେ '' ହରେ କୃଷ୍ଣ ହରେ କୃଷ୍ଣ ' କହନ୍ତି । ଏପରି ସାଧୁ କେବେ କାହିଁ ଦେଖା ନାହିଁ । ଆଜକୁ ଦୁଇଦିନ ହେଲା ବାବାଜୀ କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି, ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସରେ ମରୁଆକୁ ଖୋଜା ପଡିଛି । କେହି କେହି କହନ୍ତି , ସେ ବାବାଜୀ ସାଙ୍ଗରେ ବୃନ୍ଦାବନ ଧାମକୁ ଚାଲିଗଲା । ବାସ୍ତବରେ ସେ ଯଦି ସାଧୁ ସହବାସ ରେ ତୀର୍ଥଯାତ୍ରା
ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡିଛି । ହାଟ-ବାଟ, ଗାଧୁଆ ତୁଠ, ହାଣ୍ଡିଶାଳ, ଢ଼େଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନିତୁନି କଥା ଚାଲିଛି, କେହି ପାଟିକରି କହୁଛି, କେହିଜଣେ କୁହାଳିଆ ହାତ ହଲାଇ, ମୁଣ୍ଡ ହଲାଇ କଥା ମେଲିଛି, ପାଞ୍ଜଜଣ ବସି ଥର ମନରେ ଶୁଣୁଛନ୍ତି । କଥାଟା ତ ନାନା ରୂପ ଧାରଣ କରି ଚାଲିଛି, ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ ।ଉଦ୍ଦେଶ୍ୟରେ ବାହାରି ଯାଇଥାଏ, ତେବେ ଆମ୍ଭେମାନେ କାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବାଦ୍ଵାରା ସାଧୁ ଏବଂ ସାକ୍ଷ୍ମୀଙ୍କର ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ । କେବଳ ଗୋଟାଏ କଥା ଶୁଣିବାବେଳୁ ମନଟା କିପରି ଗୁଡେଇପୁଡେଇ ହେଉଛି | ମରୁଆ ସାନ ବୋହୂଙ୍କର ଭାରି ବିଶ୍ଵାସୀ ଥିଲା, ସବୁବେଳେ ତାଙ୍କରି ପାଖରେ ଥାଏ । ମରୁଆ ସହିତ ସାନବୋହୂଙ୍କ ବାକ୍ସରେ ଥିବା ଅଳଙ୍କାରଗୁଡିକ ମଧ୍ୟ ମିଳୁନାହିଁ, ବାପଘରୁ ଏବଂ ଶାଶୁଘରୁ ବିଭା ସମୟରେ ମୁହଁଚାହାଁଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବାକ୍ସରେ ଥିଲା । ବାକ୍ସ ମେଲା ହୋଇ ପଡିଛି - ପଦାର୍ଥ କିଛି ନାହିଁ । ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖ୍ କଥା କହୁଛନ୍ତି । ସାନ ବୋହୂତ ସାଫ୍ ଡକା ପାଡୁଛନ୍ତି । ସମସ୍ତେ ଡକା ପଡି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି ?
ଯେଉଁ ଦୁଆରେ ଦିନ ନାହିଁ, ରାତି ନାହିଁ, ଲୋକେ ଯିବାଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡିଗଲାଣି । ସାରକଥା କେତୋଟା ମାସ ମଧ୍ୟରେ ସମ୍ପତ୍ତି ଗୌରବ,
ଆଧ୍ୟାତ୍ୟ ସବୁ ଛାରଖାର ହୋଇଗଲାଣି ।
'' ନିର୍ଜଗାମ ଯଦା ଲକ୍ଷ୍ମୀ ଗଜଭୁକ୍ତକପିତ୍ଥବତ୍ ।"